04/03/2021
ଛୋଟ ଏକ ଉଦ୍ୟମ, ବଡ ଏକ ସଫଳତା !
* ୧୦,୦୦୦ ନୂଆ ପଦବୀ ଓଡ଼ିଶାରେ ସୃଷ୍ଟି କରା ଯାଇପାରିବ !
* ଓଡିଶା ସରକାରଙ୍କ ଆନ୍ତରିକ ଉଦ୍ୟମ ଆବଶ୍ୟକ !
* ଓଡ଼ିଶାରେ ଅଫିସ ନାହିଁ ତ ବ୍ୟବସାୟ ମଧ୍ୟ ନାହିଁ !
* ଓଡିଶା ସରକାର ବିନା ପୁଞ୍ଜି ବିନିଯୋଗରେ ପ୍ରାୟ ୧୦,୦୦୦ ନିଯୁକ୍ତି ସୃଷ୍ଟି କରି ପାରିବେ !
-------------------------------------------------------------------------
ଭାରତ ଓ ଓଡ଼ିଶାର ବର୍ତ୍ତମାନର ସବୁଠୁ ବଡ ସମସ୍ୟା ହେଲା, ବେକାରୀ । ଓଡ଼ିଶାରେ ବେକାରୀ ସମସ୍ୟାରେ ଯୁବପୀଢ଼ି ବହୁଳ ଭାବେ ପୀଡିତ। ହାତରେ କାମ ନ ଥିବା ହେତୁ ଯୁବପିଢି ପଥଭ୍ରଷ୍ଟ, ମାନସିକ ଯନ୍ତ୍ରଣାରେ ଜର୍ଜରିତ ! ଦିଗବଳୟକୁ ଚାହିଁଲେ, ଚାରିଆଡେ ଖାଲି ଶୁଷ୍କତା ଓ ହତାଶା ଭାବ !
ଜ୍ଞାନ ଓ ଦକ୍ଷତା ଥିଲେ ବି, ମଧୁବାବୁଙ୍କ କେତେ ଯେ ଓଡ଼ିଆ ରାଜ୍ୟାନ୍ତର ହୋଇ ବର୍ତ୍ତମାନ ପ୍ରବାସୀ ଶ୍ରମିକ।
ରାଜ୍ୟ ସରକାରଙ୍କ ଏକ ଛୋଟ ନିଷ୍ପତି, ବେକାରୀ ସମସ୍ୟା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣି ପାରିବ। ଖାଲି ଉଦ୍ୟମ ଓ ସରକାରଙ୍କ ନୀତିଗତ ଆନ୍ତରିକ ଉଦ୍ୟମ ଆବଶ୍ୟକ!
ଭାରତରେ ପାଖପାଖି ଏକ ହଜାର ମଧ୍ୟମ, ବୃହତ; ରାଷ୍ଟ୍ରୀୟ ଓ ବହୁ ରାଷ୍ଟ୍ରୀୟ କମ୍ପାନୀ ବ୍ୟବସାୟ କରନ୍ତି। ତାହା ମଧ୍ୟରୁ ଓଡ଼ିଶାରେ ପାଖାପାଖି ଚାରି ଶହ କମ୍ପାନୀ ବ୍ୟବସାୟ କରନ୍ତି ଓ ଭଲ ଲାଭ ବି କରନ୍ତି। କିନ୍ତୁ ଅଧିକାଂଶ କମ୍ପାନୀ ଏ ବ୍ୟବସାୟ ଓଡିଶା ବାହାରୁ (Remote) କରିଥାନ୍ତି। କାହାର ଅଫିସ ଦିଲ୍ଲୀ, ବମ୍ବେ ବା ହାଇଦ୍ରାବାଦ ତ କାହାର ଅଫିସ କଲିକତାରେ। ଓଡ଼ିଶାରେ ଏହି ସବୁ କମ୍ପାନୀର ଅଫିସ ନ ଥାଏ।
ଯଦି କୌଣସି କମ୍ପାନୀ ଓଡ଼ିଶାରେ ଫୁଲ୍ ଫ୍ଲେଜଡ୍ ଅଫିସ କରନ୍ତି, ତେବେ ତାଙ୍କୁ ମାର୍କେଟିଙ୍ଗ୍, ମାନବ ସମ୍ବଳ, ଆଇଟି, ଫିନାନସ ଭଳି ବିଭାଗ ଖୋଲିବାକୁ ପଡିବ। ଏ ବିଭାଗ ଗୁଡିକରେ ସମୂହ ପଦବୀ ଯଥା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠୁ ମ୍ୟାନେଜର ପ୍ରଭୃତି ପଦବୀ ମିଶାଇ, ଅତି କମରେ ଗୋଟିଏ କମ୍ପାନୀ ପାଇଁ ହାରାହାରି ୨୫ ଟି ନୂଆ ପଦବୀ ସୃଷ୍ଟି ହେବ। ଚାରିଶହ କମ୍ପାନୀ ଅଫିସ ଓଡ଼ିଶାରେ କଲେ, ୧୦,୦୦୦ ନିଯୁକ୍ତି ସୃଷ୍ଟି, ଏକ ରୁ ଦୁଇ ବର୍ଷ ଭିତରେ ହୋଇ ପାରିବ। ଏହାଦ୍ୱାରା, ଓଡ଼ିଶାରେ କିଛି ମାତ୍ରାରେ ବେକାରୀ ସମସ୍ୟା ଦୂର ହୋଇ ପାରିବ।
ନିମ୍ନରେ କେତୋଟି କମ୍ପାନୀର ଉଦାହରଣ ଦେବି, ଯାହାର ଓଡ଼ିଶାରେ ଅଫିସ ନାହିଁ।
ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀ, ଯାହା ଓଡ଼ିଶାରେ ଲାଇଫ୍ ବଏ, ଡୋଭ, ଓକେ, ଲିରିଲ, ହୁଇଲ, କିଶାନ ସସ,ଏରିଏଲ, ଲାକ୍ମୀ, ଲକ୍ସ, ରିନ, ସର୍ଫ, ଇତ୍ୟାଦି ବ୍ରାଣ୍ଡ ର ବାର୍ଷିକ ପାଖାପାଖି ୧000 କୋଟି ଟଙ୍କାର ଓଡ଼ିଶାରେ ବ୍ୟବସାୟ କରେ, ଓଡ଼ିଶାରେ ତାର ଅଫିସ ନାହିଁ।
ନେସଲେ କମ୍ପାନୀ, ଯାହା ଓଡ଼ିଶାରେ ମ୍ୟାଗି ନୁଡୁଲ, ମ୍ୟାଗି ସସ୍, କିଟକାଟ୍, ମଞ୍ଚ୍, ସେରେଲାକ୍, ଲାକ୍ଟୋଜେନ୍, ନାନ୍ ପ୍ରଭୃତି ବ୍ରାଣ୍ଡରେ ବାର୍ଷିକ ପାଖାପାଖି 400 କୋଟି ଟଙ୍କାର ଓଡ଼ିଶାରେ ବ୍ୟବସାୟ କରେ, ତାର ବି ଓଡ଼ିଶାରେ ଅଫିସ୍ ନାହିଁ।
ପ୍ରତ୍ୟେକ ଦିନ ଆମେ ସକାଳୁ ଉଠିଲେ କୋଲଗେଟ୍ ପେଷ୍ଟରେ ଦାନ୍ତ ଘସିଥାଉ, ଏ କମ୍ପାନୀ ବି ବାର୍ଷିକ ପାଖାପାଖି ୧୫୦ କୋଟି ଟଙ୍କାର ଓଡ଼ିଶାରେ ବ୍ୟବସାୟ କରେ ଓ ଏ କମ୍ପାନୀର ବି ଓଡ଼ିଶାରେ ଅଫିସ୍ ନାହିଁ।
ITC କମ୍ପାନୀ, ଯାହା୍ ଗୋଲଡ଼ ଫ୍ଲେକ, ଉଇଲସ ଫ୍ଲେକ, ଗୋଲଡ଼ ଫ୍ଲେକ କିଙ୍ଗ, ଆଶୀର୍ବାଦ ଅଟା, ସନଫିଷ୍ଟ ବିସ୍କୁଟ, ଡାର୍କ ଫାଣ୍ଟାସି ଇତ୍ୟାଦି ବ୍ରାଣ୍ଡର ବାର୍ଷିକ ପାଖାପାଖି ୧୨00 କୋଟି ଟଙ୍କାର ଓଡ଼ିଶାରେ ବ୍ୟବସାୟ କରେ, ତାର ବି ଅଫିସ୍ ଓଡ଼ିଶାରେ ନାହିଁ।
ଏଇଭଳି ଶହ ଶହ କମ୍ପାନୀ ଓଡ଼ିଶାରେ ବ୍ୟବସାୟ କରନ୍ତି, ଯାହାର ଅଫିସ୍ ଓଡ଼ିଶାରେ ନାହିଁ।
ଜାଣିନି ସରକାର ଏ ଦିଗରେ କେବେ ହେଲେ ଚିନ୍ତା କରିଛନ୍ତି କି ନାହିଁ, ଯଦି ଚିନ୍ତା କରି ନାହାନ୍ତି ତେବେ, ଏ ଘଡିସନ୍ଧି ମୁହୂର୍ତ୍ତରେ, ଯେତେବେଳେ ଓଡ଼ିଶାରେ ବେକାରୀ ଆକାଶ ଛୁଆଁ, ଏ ଦିଗରେ ଚିନ୍ତା କରି ଓଡିଶା ବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗ ତିଆରି କରି ପାରିବେ।
ଓଡ଼ିଶାରେ ୪୦୦ ଅଫିସ ଖୋଲିଲେ, ଏହା ରିଅଲ ଇଷ୍ଟେଟ/ ପ୍ରୋପର୍ଟି ବ୍ୟବସାୟକୁ ବି ଇନ୍ଧନ ଯୋଗାଇବା ସହିତ ବହୁତ ଗୁଡିଏ ପରୋକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବ।
ଏ ପରିକଳ୍ପନା କୁ ସଫଳ ରୂପାନ୍ତରିତ କରିବାକୁ ମୋତେ ଓଡିଶା ପ୍ରଶାସନିକ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଟିମରେ, କୌଣସି ମନ୍ତ୍ରୀ, ସାଂସଦ, ବିଧାୟକ ବା ଅଧିକାରୀ ଦେଖା ଯାଉ ନାହାଁନ୍ତି। ତେଣୁ, ଵହୁତ ତର୍ଜମା କରିବା ପରେ ଦୁଇଟି ନାଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଉଛି, ଜଣେ ହେଲେ ଶ୍ରୀଯୁକ୍ତ ସୁବ୍ରତ ବାଗଚି ଓ ଅନ୍ୟ ଜଣେ ହେଲେ ମ୍ୟାନେଜମେଣ୍ଟ ପ୍ରଫେସର, ଡକ୍ଟର ତପନ କୁମାର ପଣ୍ଡା। ଏ ଦୁଇ ମହୋଦୟଙ୍କର କର୍ପୋରେଟ ଗଭର୍ନାନ୍ସ ରେ ଅଭେଦ୍ୟ ପାଣ୍ଡିତ୍ୟ ଅଛି । ଏ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ବା ଦୁଇ ଜଣଙ୍କୁ ମନୋନୟନ କରି ପ୍ରୋଜେକ୍ଟ ମୁଖ୍ୟ ଦାୟିତ୍ଵ ଅର୍ପଣ କରି ଚିଫ୍ ସେକ୍ରେଟାରୀ/ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର କ୍ଷମତା ଦେଇ ଦୁଇ ବର୍ଷ ସମୟ ଦିଅନ୍ତୁ। ଦେଖିବେ, ଓଡ଼ିଶାରେ ଦୁଇ ବର୍ଷ ଭିତରେ ୧୦,୦୦୦ ନିଯୁକ୍ତି ସୃଷ୍ଟି ହେବ। ( ଏ ଦୁଇ ମହୋଦୟ ବିନା ପ୍ରାପ୍ୟରେ ଓଡିଶା ପାଇଁ ଏ ମହାନ କାମ କରିବାକୁ ତିଳେ ମାତ୍ର ପଛ ଘୁଞ୍ଚା ଦେବେନି ଓ ସଫଳତାର ସହିତ ଏ ପରିକଳ୍ପନାକୁ କାର୍ଯ୍ୟରେ ରୂପାନ୍ତରିତ କରି ପାରିବେ)।
ସବୁଠୁ ବଡ କଥା ହେଲା, ଏଥିରେ ରାଜ୍ୟ ସରକାରଙ୍କ କୌଣସି ଅର୍ଥ ବିନିଯୋଗର ଆବଶ୍ୟକତା ନାହିଁ ଓ ଓଡ଼ିଶାରେ ୧୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ।
ରାଜ୍ୟ ସରକାରଙ୍କ ଏକ ଛୋଟ ନିଷ୍ପତି ବେକାରୀ ଦୂର କରିବାରେ ଏକ ବିରାଟ ପରିବର୍ତ୍ତନ ଆଣି ପାରିବ।
"ଖାଲି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଉଦ୍ୟମ ଆବଶ୍ୟକ"।
"ବନ୍ଦେ ଉତ୍କଳ ଜନନୀ"